ବିଜୟ ଉତ୍ସବ ବେଳେ ଦଳର ଶକ୍ତ ପ୍ରହାର! ଭାଇସ୍-ଚେୟାରମ୍ୟାନ୍ ନିର୍ବାଚନ ପରେ ବିଜେଡିର ବଡ଼ ଆକ୍ସନ୍ ପୌର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଓ କାଉନସିଲର ଶ୍ରମିତା ପାଢ଼ୀ ନିଲମ୍ବିତ
ରାୟଗଡ଼ା, ୩୦/୦୯/୨୦୨୬:
ରାୟଗଡ଼ା ପୌର ରାଜନୀତିରେ ଉପାଧ୍ୟକ୍ଷ ଉପନିର୍ବାଚନ ପରେ ଦେଖାଦେଇଛି ନୂଆ ମୋଡ଼। ଗୋଟିଏ ପଟେ ନିର୍ବାଚନର ବିଜୟ ଉତ୍ସବ, ଅନ୍ୟପଟେ ବିଜେଡିର ଶକ୍ତ ପ୍ରହାର। ନିର୍ବାଚନ ସରିବା ପରେ ଦଳ ପକ୍ଷରୁ ଆସିଛି ବଡ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।
ରାୟଗଡ଼ା ପୌରପାଳିକାର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଏବଂ ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ବିଜେଡି ପକ୍ଷରୁ ଜାରି ଅଫିସ୍ ଅର୍ଡରରେ ଉଭୟଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଦର୍ଶାଇ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଥିବା ଉଲ୍ଲେଖ ରହିଛି।
ଏହା ପୂର୍ବରୁ ‘ବିଜୁ ସ୍ୱାଭିମାନ ମଞ୍ଚ’ର ବିଭିନ୍ନ କାର୍ଯ୍ୟକ୍ରମରେ କିଛି ନେତା ଓ କାଉନସିଲରଙ୍କ ଉପସ୍ଥିତିକୁ ନେଇ ରାୟଗଡ଼ା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଦଳୀୟ ନିର୍ଦ୍ଦେଶ, ହ୍ୱିପ୍ ଏବଂ ରାଜନୈତିକ କାର୍ଯ୍ୟକଳାପକୁ ନେଇ ଦୂରତା ବଢ଼ୁଥିବା ଚର୍ଚ୍ଚା ମଧ୍ୟରେ ଏବେ ନିଲମ୍ବନ ଆଦେଶ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ୨୯ ସେପ୍ଟେମ୍ବର ୨୦୨୬ରେ ରାୟଗଡ଼ା ପୌରପାଳିକାର ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ହିଁ ଚେୟାରମ୍ୟାନ୍ ପି. ମହେଶ ପଟ୍ଟନାୟକ ଓ କାଉନସିଲର ଶ୍ରମିତା ପାଢ଼ୀଙ୍କ ବିରୋଧରେ ବିଜେଡିର ନିଲମ୍ବନ ଆଦେଶ ସାମ୍ନାକୁ ଆସିଛି।
ଦଳର ଅଭିଯୋଗ ଅନୁଯାୟୀ, ଦଳୀୟ ନିର୍ଦ୍ଦେଶ ଓ ହ୍ୱିପ୍କୁ ଅମାନ୍ୟ କରି ଦଳବିରୋଧୀ କାର୍ଯ୍ୟକଳାପ କରାଯାଇଥିବାରୁ ଉଭୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳୀୟ ନେତୃବୃନ୍ଦ କହିଛନ୍ତି।
Share this content:

Post Comment