ମ.ରାମପୁରରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୭ ଗିରଫ
(Dt-28/10/26)
କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳର ଘୁଡ଼ଘୁଡ଼ିପଟି ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା କଳାହାଣ୍ଡି ପୋଲିସର ପ୍ରେସ୍ ବ୍ରିଫ୍ରୁ ଜଣାପଡ଼ିଛି। ପୋଲିସର ସୂଚନା ଅନୁଯାୟୀ, ଗତ ୨୭ ତାରିଖ ରାତିରେ ପାଟ୍ରୋଲିଂ ଓ ଜୁଆ ଖେଳ ଉପରେ ଚଢ଼ାଉ ସମୟରେ ଘୁଡ଼ଘୁଡ଼ିପଟି ନିକଟରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ପହଞ୍ଚିଥିଲା। ଏହି ସମୟରେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପଥର ଫିଙ୍ଗିବା,ମାଡ଼ ମାରିବା ଓ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଏପରିକି ମହିଳା ହୋମଗାର୍ଡ ନୀଳିମା ବାଗଙ୍କୁ ବେକରୁ ଧରି ତଳେ ଘୋଷାଡ଼ି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି।ଘଟଣାସ୍ଥଳରୁ ପୋଲିସ ୧୩ ହଜାର ୨୦୦ ଟଙ୍କା, ୬ଟି ପଶା, ଗୋଟିଏ ମୋଟରସାଇକେଲ, ୫ଟି ମୋବାଇଲ ଫୋନ୍ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ନୁନପୁର ଗ୍ରାମର ଘନଶ୍ୟାମ ରଣା (୬୩) ରିଷିଡା ଗ୍ରାମର ଦୟାନିଧି ଭୋଇ (୫୭) ରାଧେଶ୍ୟାମ ରଣା (୩୫),ଓ କାମଦେବ ପୋଢ଼ (୨୮),ବଡ଼ ଡୁଙ୍ଗୁରି ଗୁଡ଼ାର ଶକ୍ତି ପୁଟେଲ (୨୭) ଓ ସୁବ୍ରତ ମିଶ୍ର (୨୯) ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ (୫୬)। ଏହି ଘଟଣାକୁ ନେଇ ମ.ରାମପୁର ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ଓପିଜି ଆଇନର ଧାରା ୩ ଅନୁଯାୟୀ କେସ ନମ୍ବର ୨୭୧/୨୦୨୬ରେ ମାମଲା ରୁଜୁ କରାଯାଇଛି। ଏନେଇ ବିଜୟ କୁମାର ବେନିଆ ଅଧିକ ତଦନ୍ତ କରୁଥିବାର ମ. ରାମପୁର ଥାନା ଆଇଆଇସି ସଂଯୁକ୍ତା ପଧାନ ସୂଚନା ଦେଇଛନ୍ତି ।
Share this content:



Post Comment