Follow us

Search
Close this search box.
Search
Close this search box.

ଜନ୍ମଦିନର ଦୁଇ ଦିନ ପୂର୍ବରୁ ଅମର ହେଲେ ରାୟଗଡ଼ର ଯବାନ ଭି. ତେଜା

ଦେଶସେବାରେ ଜୀବନ ଉତ୍ସର୍ଗ, ମୃତ୍ୟୁ ପରେ ବି ମାନବିକତାର ନିଆରା ଉଦାହରଣ

dt-06/10/2026

ରାୟଗଡ଼: ଅକ୍ଟୋବର ୭ ତାରିଖରେ ଥିଲା ଜନ୍ମଦିନ। ପରିବାର ଓ ପ୍ରିୟଜନଙ୍କ ସହ ଜନ୍ମଦିନ ପାଳନର ଖୁସି ଅପେକ୍ଷାରେ ଥିଲେ ସମସ୍ତେ। କିନ୍ତୁ ଜନ୍ମଦିନର ମାତ୍ର ଦୁଇ ଦିନ ପୂର୍ବରୁ ଆସିଲା ଦୁଃଖଦ ଖବର। ଦେଶସେବା କରୁଥିବା ରାୟଗଡ଼ର ଯବାନ ଭି. ତେଜା ଆଉ ନାହାନ୍ତି।

Assam Riflesରେ ଯବାନ ଭାବେ କାର୍ଯ୍ୟରତ ୩୦ ବର୍ଷୀୟ ଭି. ତେଜା ନାଗାଲାଣ୍ଡରେ ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା ଖବର ପରିବାର ଓ ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟ ପାଳନ କରୁଥିବାବେଳେ ସେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି।

ଭି. ତେଜାଙ୍କ ଜୀବନରେ ଆଉ ଏକ ଖୁସିର ମୁହୂର୍ତ୍ତ ଆସିବାକୁ ଥିଲା। ଡିସେମ୍ବର ୧୦ ତାରିଖରେ ତାଙ୍କ ବିବାହ ହେବାର ଥିଲା। ଜନ୍ମଦିନ ଓ ବିବାହ ଦୁଇଟି ଖୁସିକୁ ନେଇ ପରିବାରରେ ଚାଲିଥିଲା ପ୍ରସ୍ତୁତି। ହେଲେ ଭାଗ୍ୟର ବିଡ଼ମ୍ବନା, ଖୁସିର ସେହି ମୁହୂର୍ତ୍ତ ଆସିବା ପୂର୍ବରୁ ତେଜା ଚାଲିଗଲେ ଅମରତ୍ୱର ପଥରେ। ତେବେ ମୃତ୍ୟୁ ପରେ ମଧ୍ୟ ତାଙ୍କ ମାନବିକତା ତାଙ୍କୁ ଅମର କରିଦେଇଛି। ରିପୋର୍ଟ ଅନୁସାରେ, ଭି. ତେଜା ପୂର୍ବରୁ ଅଙ୍ଗଦାନ ପାଇଁ ନିଜ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଏହି ମାନବିକ ଚିନ୍ତାଧାରା ମୃତ୍ୟୁ ପରେ ମଧ୍ୟ ଅନ୍ୟ ଜୀବନରେ ଆଶାର ଆଲୋକ ଜଳାଇବାର ବାର୍ତ୍ତା ଦେଇଛି।

ଯେଉଁ ଘରେ ଅକ୍ଟୋବର ୭ରେ ଜନ୍ମଦିନର ଖୁସି ପାଳନ ହେବାର ଥିଲା, ସେହି ଘରେ ଏବେ ତାଙ୍କ ସ୍ମୃତି ଓ ଲୁହରେ ପରିବାର ଦିନ କାଟୁଛି।

ରାୟଗଡ଼ର ଏହି ବୀର ଯବାନ କେବଳ ନିଜ କର୍ତ୍ତବ୍ୟ ପାଇଁ ନୁହେଁ, ନିଜ ମାନବିକତା ପାଇଁ ମଧ୍ୟ ସବୁଦିନ ମନେ ରହିବେ। ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ରାୟଗଡ଼ର ବୀର ଯବାନ ଭି. ତେଜାଙ୍କୁ ଶତ ଶତ ନମନ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା ଓ ମାନବିକତା ସବୁଦିନ ପ୍ରେରଣା ହୋଇ ରହିବ। ଅମର ରହୁ ଭି. ତେଜାଙ୍କ ସ୍ମୃତି।

Share this content:

Post Comment