ବ୍ୟାଙ୍କ ଖାତା ଭଡ଼ାରେ ଦେଇ ସାଇବର ଠକେଇ! ରାକେଟର ପର୍ଦ୍ଦାଫାଶ, ଦୁଇ ଗିରଫ
Dt-01/10/26
ବ୍ୟାଙ୍କ ଖାତା ଭଡ଼ାରେ ଦେଇ ସାଇବର ଠକେଇ ଚଳାଇଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ବଣ୍ଡାମୁଣ୍ଡା ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୧୧ଟି ବ୍ୟାଙ୍କ ଖାତାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ କାରବାର ସାମ୍ନାକୁ ଆସିଛି।
ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଲେ ଶେଖ ଅମନ, ବୟସ ୨୨ ବର୍ଷ ଏବଂ ଯଶରାଜ ସିଂହ ଓରଫ ଯଶ, ବୟସ ୨୪ ବର୍ଷ।
ପୋଲିସର ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତ ପାଟନାର ଜଣେ ହ୍ୟାଣ୍ଡଲରଙ୍କ ପାଇଁ ଲୋକଙ୍କୁ ଟଙ୍କା ଓ ଚାକିରିର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଖାତା ଖୋଲାଉଥିଲେ।
ପରେ ଏହି ଖାତା ସହ ଜଡିତ ଦସ୍ତାବିଜ, ଏଟିଏମ୍ କାର୍ଡ, ସିମ୍ କାର୍ଡ ଓ ପାସବୁକ୍ ସାଇବର ଠକମାନଙ୍କୁ ହସ୍ତାନ୍ତର କରାଯାଉଥିବା ଅଭିଯୋଗ ହୋଇଛି।
ପଚରାଉଚରା ବେଳେ ପ୍ରତି ଖାତା ପିଛା ପ୍ରାୟ ୧୫ ହଜାର ଟଙ୍କା ନେଉଥିବା କଥା ସାମ୍ନାକୁ ଆସିଛି।
ସମନ୍ୱୟ ପୋର୍ଟାଲ ଓ ସାଇବର ସେଲର ତଦନ୍ତରୁ ୧୧ଟି ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ କାରବାର ହୋଇଥିବା ଜଣାପଡ଼ିଛି।
ତଦନ୍ତରୁ ଏହି ମାମଲାର ଲିଙ୍କ୍ ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ୨୦ଟି ସାଇବର ଅପରାଧ ଅଭିଯୋଗ ସହ ଥିବା ଜଣାପଡ଼ିଛି।
ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଏଟିଏମ୍ କାର୍ଡ, ପାସବୁକ୍, ଚେକବୁକ୍, ଆଧାର କାର୍ଡ ଏବଂ ନଗଦ ୪୦୦ ଟଙ୍କା ଜବତ କରିଛି ପୋଲିସ।
ଏହି ସାଇବର ଠକେଇ ରାକେଟରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ଏବଂ ଅନ୍ୟ କେତେଟି ଖାତା ମାଧ୍ୟମରେ ଟଙ୍କା କାରବାର ହୋଇଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
Share this content:



Post Comment